odisha24 Live

Latest News

Latest News

ଆରପାରିରେ ଭେଟେରାନ ଅଭିନେତା ମୁସ୍ତାକ

ମୁମ୍ବାଇ : ବଲିଉଡର ଭେଟେରାନ ଅଭିନେତା ମୁସ୍ତାକ ଖାନଙ୍କ ପରଲୋକ ହୋଇଛି । ଦୀର୍ଘଦିନ ଧରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସହ ଲଢ଼େଇ କରୁଥିବା ମୁସ୍ତାକ ଗୁରୁବାର ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, କ୍ୟାନସରରେ ପୀଡ଼ିତ ମୁସ୍ତାକଙ୍କ ସ୍ୱାସ୍ଥ୍ୟ କିଛିଦିନ ହେଲା ଅଧିକ ଖରାପ ହୋଇପଡ଼ିଥିଲା । ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଥିବା ରିପୋର୍ଟ ମିଳିଛି। ହିନ୍ଦୀ ସିନେମାରେ ଦୀର୍ଘ କ୍ୟାରିୟର ମଧ୍ୟରେ ମୁସ୍ତାକ ଖାନ ଅନେକ ସହାୟକ ଓ ହାସ୍ୟ ଚରିତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ। ଛୋଟ ଭୂମିକାରେ ମଧ୍ୟ ନିଜର ଅଭିନୟ ଓ କମିକ୍ ଟାଇମିଂ ଯୋଗୁଁ ସେ ଦର୍ଶକଙ୍କ ମନେ ରହିଯାଉଥିଲେ ।

ଆଶିକି, ହମ୍ ହୈଁ ରାହି ପ୍ୟାର କେ, ହେରା ଫେରି, ଯୋଡ଼ି ନଂ-୧, ଗଦର: ଏକ ପ୍ରେମ କଥା, ମୁଝସେ ଶାଦି କରୋଗି, ୱେଲକମ୍, ୱାଣ୍ଟେଡ୍, ଗଦର-୨ ଏବଂ ସ୍ତ୍ରୀ-୨ ଭଳି ଅନେକ ଲୋକପ୍ରିୟ ଫିଲ୍ମରେ ସେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ସହ ଟେଲିଭିଜନ ଜଗତରେ ମଧ୍ୟ ସେ ବେଶ୍ ପରିଚିତ ଥିଲେ । ବିଶେଷକରି ୨୦୦୭ର ସୁପରହିଟ୍ କମେଡି ଫିଲ୍ମ ୱେଲକମରେ ଅଭିନୟ ଦର୍ଶକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇଥିଲା । ନାନା ପାଟେକରଙ୍କ ‘ଉଦୟ ଭାଇ’ ଚରିତ୍ର ସହ ତାଙ୍କର ମଜାଦାର ଦୃଶ୍ୟ ଆଜି ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚିତ । ଗଦର: ଏକ ପ୍ରେମ କଥାରେ ମୁସ୍ତାକ ‘ଗୁଲ୍ ଖାନ୍’ ଚରିତ୍ରରେ ନଜର ଆସିଥିଲେ । ପରେ ଗଦର-୨ରେ ମଧ୍ୟ ସେ ଅଭିନୟ କରିଥିଲେ । ମୁଖ୍ୟ ନାୟକ ଭାବେ ନୁହେଁ, ବରଂ ନିଜର ନିଆରା ସହାୟକ ଚରିତ୍ର ଓ ହାସ୍ୟ ଅଭିନୟ ମାଧ୍ୟମରେ ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ମୁସ୍ତାକ ଖାନଙ୍କ ବିୟୋଗ ହିନ୍ଦୀ ସିନେମା ଜଗତ ପାଇଁ ଏକ ଦୁଃଖଦ ଖବର । ଆଜି ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ହେବାର ସୂଚନା ରହିଛି ।

Share In Social Media
Scroll to Top