
ଲାଗୋସ୍ : ଭାରତୀୟ ଟେନିସ୍ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ମାୟା ରାଜେଶ୍ବରନ୍ ରେବତୀ। ପର୍ତ୍ତୁଗାଲ୍ରେ ଆୟୋଜିତ ଡବ୍ଲ୍ୟୁ୩୫ ଲାଗୋସ୍ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ପେସାଦାର ସିଙ୍ଗଲ୍ସ ଟାଇଟଲ୍ ଜିତି ମାୟା ଐତିହାସିକ ସଫଳତା ହାସଲ କରିଛନ୍ତି। ୧୭ ବର୍ଷ ବୟସ୍କା ମାୟା ଫାଇନାଲରେ ସ୍ପେନ୍ର ସେଲିଆ ସର୍ଭିନୋ ରୁଇଜ୍ଙ୍କୁ ୬-୪, ୬-୨ ସେଟ୍ରେ ପରାସ୍ତକରି ଚମ୍ପିଆନ୍ ହୋଇଛନ୍ତି। ଏହି ବିଜୟ ସହ ସେ ଡବ୍ଲ୍ୟୁ୩୫ ସ୍ତରର ସିଙ୍ଗଲ୍ସ ଟାଇଟଲ୍ ଜିତିବାରେ ସର୍ବକନିଷ୍ଠା ଭାରତୀୟ ମହିଳା ହୋଇଛନ୍ତି। ଏଥିସହ ଦୀର୍ଘ ୨୨ ବର୍ଷ ଧରି ତାରକା ସାନିଆ ମିର୍ଜାଙ୍କ ନାମରେ ଥିବା ରେକର୍ଡକୁ ସେ ଭାଙ୍ଗିଛନ୍ତି। ଉଭୟ ଖେଳାଳି ୧୭ ବର୍ଷ ବୟସରେ ଟାଇଟଲ ଜିତିଥିଲେ। ସାନିଆ ୨୦୦୪ ଅକ୍ଟୋବର ୧୦ରେ ନାଇଜେରିଆର ଲାଗୋସ୍ରେ ଟାଇଟଲ ଜିତିଥିଲେ। ତେବେ ବୟସ ଦୃଷ୍ଟିରୁ ସାନିଆଙ୍କୁ ମାୟା ପଛରେ ପକାଇଛନ୍ତି।
ଟାଇଟଲ୍ ଜିତିବା ସମୟରେ ମାୟାଙ୍କ ବୟସ ୧୭ ବର୍ଷ ୩ ମାସ ଥିବା ବେଳେ ସାନିଆଙ୍କ ବୟସ ୧୭ ବର୍ଷ ୧୦ ମାସ ଥିଲା। ଏହି ସଫଳତା ମାୟାଙ୍କୁ ଭାରତୀୟ ଟେନିସ୍ର ଉଦୀୟମାନ ପ୍ରତିଭା ଭାବେ ପରିଚୟ ଦେଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ମାୟା ବିଶ୍ବ ମାନ୍ୟତାର ୨୪୬ତମ ସ୍ଥାନରେ ଥିବା ଟପ୍ ସିଡ୍ ଜଷ୍ଟିନା ମିକୁଲସ୍କାଇଟ୍ଙ୍କୁ ୭-୬, ୬-୧ ସେଟ୍ରେ ହରାଇ ବିପର୍ଯ୍ୟୟ ଘଟାଇଥିଲେ।





