
ରାଞ୍ଚି: ଭାରତ-ୱେଷ୍ଟଇଣ୍ଡିଜ୍ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳାର ୨ୟ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ପ୍ରଥମ ମ୍ୟାଚ୍ରେ ଭାରତୀୟ ଦଳ ୮ ୱିକେଟରେ ଦମ୍ଦାର ବିଜୟ ହାସଲ କରି ୧-୦ରେ ଆଗୁଆ ରହିଛି। ଏହି ଫର୍ମକୁ ବଜାୟ ରଖି ଭାରତ ରାଞ୍ଚିରେ ନିଜର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ପ୍ରଥମ ଟି୨୦ରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ମାତ୍ର ୪୩ ବଲ୍ରୁ ଅପରାଜିତ ୧୦୨ ରନ୍କରି ୩୨ଟି ବଲ୍ ବାକିଥାଇ ଦଳକୁ ଜିତାଇଥିଲେ। ତେବେ ଦଳର ଏହି ବିଜୟରେ ପ୍ରମୁଖ ଭୂମିକା ଥିଲା ସ୍ପିନରଙ୍କର। ନମନ ଧୀର, ଅକ୍ଷର ପଟେଲ ଓ କୁଲଦୀପ ଯାଦବ ମିଳିତ ଭାବେ ୮ଟି ୱିକେଟ୍ ନେଇ ୱେଷ୍ଟଇଣ୍ଡିଜ୍କୁ ୧୭୧ ରନ୍ରେ ସୀମିତ ରଖିଥିଲେ। ଏକଦା ୩ ୱିକେଟ୍ରେ ୧୦୭ ରନ୍କରି ୱେଷ୍ଟଇଣ୍ଡିଜ୍ ବଡ଼ ସ୍କୋର୍ କରିବା ସ୍ଥିତିରେ ଥିଲା। ସେଟ୍ ନ ହୋଇ ବଡ଼ ସଟ୍ ମାରିବାର ପ୍ରୟାସ ୱେଷ୍ଟଇଣ୍ଡିଜ୍ ପାଇଁ ବୁମେରାଂ ହୋଇଥିଲା। ଅର୍ଦ୍ଧାଧିକ ବ୍ୟାଟର୍ ବାଉଣ୍ଡରୀରେ କ୍ୟାଚ୍ ଦେଇଥିଲେ। ୱେଷ୍ଟଇଣ୍ଡିଜ୍ ଏହି ତ୍ରୁଟି ସୁଧାରି ବଡ଼ ସ୍କୋର୍ କରିବାର ପ୍ରୟାସ କରିବ।
ପ୍ରଥମ ମ୍ୟାଚ୍ରେ ଅଭିଷେକ ଶର୍ମା ଓ ସଞ୍ଜୁ ସାମ୍ସନଙ୍କୁ ସହଳ ଆଉଟ୍ କରିବା ୱେଷ୍ଟଇଣ୍ଡିଜ୍ ପାଇଁ ବଡ଼ ସଫଳତା ଥିଲା। କାରଣ ଦୁହେଁ ଭଲ ଫର୍ମରେ ଅଛନ୍ତି। ବିଶେଷକରି ଅଭିଷେକ ଏସୀୟ କ୍ରୀଡ଼ାରେ ନିୟମିତ ବିସ୍ଫୋରକ ବ୍ୟାଟିଂକରି ବଡ଼ ସ୍କୋର୍ କରିଥିଲେ।
ବିଶ୍ବର ୧ନଂ ଟ୍ବେଣ୍ଟି୨୦ ବ୍ୟାଟର ଈଶାନ୍ କିଷନ୍ ତାଙ୍କ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ଶ୍ରେୟସ ଜୀବନର ପ୍ରଥମ ଟି୨୦ ଶତକ ହାସଲ କରିଥିବା ବେଳେ ତିଳକ ବର୍ମା ମଧ୍ୟ ରନ୍ କରୁଛନ୍ତି। ଶିବମ୍ ଦୁବେ, ନମନ ଧୀର ଓ ଅକ୍ଷର ପଟେଲ ମଧ୍ୟ ଦ୍ରୁତଗତିରେ ସ୍କୋର୍ କରିପାରନ୍ତି। ଏପରି ଭାରତୀୟ ବ୍ୟାଟିଂ ଲାଇନ୍କୁ ରୋକିବାକୁ ହେଲେ ୱେଷ୍ଟଇଣ୍ଡିଜ୍ ବୋଲରଙ୍କୁ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ରାଞ୍ଚିରେ ସ୍ଥାନୀୟ ଖେଳାଳି ଈଶାନ କିଷନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ସୈ ହୋପ୍ଙ୍କ ନେତୃତ୍ବାଧୀନ ୱେଷ୍ଟଇଣ୍ଡିଜ୍ ପ୍ରଥମ ମ୍ୟାଚ୍ ହାରିବା ପରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରାଣପଣେ ଚେଷ୍ଟାକରିବ। କାରଣ ଟି୨୦ରେ ଏହା ଏକ ଭଲ ଦଳ। ୱେଷ୍ଟଇଣ୍ଡିଜ୍ ଚାହିଁବ ଯେ ଏହାର ବ୍ୟାଟ୍ସମ୍ୟାନ ଅଧିକ ସମୟ କ୍ରିଜ୍ରେ ରହନ୍ତୁ।
ଦିନିକିଆରେ କ୍ରମାଗତ ୨ଟି ଶତକ ମାରିଥିବା ସୈ ହୋପ୍ ପୁଣିଥରେ ବଡ଼ ଇନିଂସ ଖେଳିବାର ପ୍ରୟାସ କରିବେ। ତାଙ୍କୁ ଛାଡ଼ି ଓପ୍ନର କାମିଲ ପୁରନ୍, ସିମ୍ରନ୍ ହେତ୍ମେୟର, ରୋଭ୍ମ୍ୟାନ ପୱେଲ, ସେର୍ଫାନ୍ ରଦରଫୋର୍ଡ, ରୋମାରିଓ ସେଫର୍ଡ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍। ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ ହୋଇପାରେ। ଫାଷ୍ଟବୋଲର ଭାବେ ମୟଙ୍କ ଯାଦବଙ୍କ ସ୍ଥାନରେ ପ୍ରିନ୍ସ ଯାଦବ ଖେଳିପାରନ୍ତି। ୱେଷ୍ଟଇଣ୍ଡିଜ ଅପରିବର୍ତ୍ତିତ ଏକାଦଶ ନେଇ ଖେଳିପାରେ। ରାଞ୍ଚି ପିଚ୍ରେ ବ୍ୟାଟରଙ୍କୁ ସହାୟତା ମିଳିପାରେ। ତେବେ ସ୍ପିନର ମଧ୍ୟ ମ୍ୟାଚ୍ରେ ପ୍ରଭାବ ପକାଇ ପାରନ୍ତି। ଫର୍ମକୁ ଦେଖିଲେ ମ୍ୟାଚ୍ରେ ଭାରତ ନିଶ୍ଚିତ ଭାବେ ଫେଭରିଟ୍।





