odisha24 Live

Latest News

Latest News

ବିଜୟ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ର ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଆଜିଠାରୁ କଲୋମ୍ବୋର ସିଂହଳୀ ସ୍ପୋର୍ଟ୍ସ କ୍ଲବ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ୩ ବର୍ଷ ପରେ ପ୍ରଥମ ବିଦେଶ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ । ଗଲ୍ ରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମ୍ୟାଚ୍ କୁ ୧୬୫ ରନ୍ ରେ ଜିତି ଶୁବମନ ଗିଲଙ୍କ ଯୁବ ବାହିନୀ ୧-୦ରେ ଆଗୁଆ ରହିଛି । ସେହି ଦୃଷ୍ଟିରୁ ଦ୍ବିତୀୟ ଟେଷ୍ଟ୍ କୁ ଜିତିଲେ କିମ୍ବା ଅନ୍ୟୂନ ଡ୍ର’ କଲେ ମଧ୍ୟ ଶୃଙ୍ଖଳା ବିଜୟର ସ୍ବାଦ ଚାଖିବ । ଅନ୍ୟପକ୍ଷରେ ଘରୋଇ ଶ୍ରୀଲଙ୍କା କଲମ୍ବୋରେ ବିଜୟ ଧାରାକୁ ଫେରି ଶୃଙ୍ଖଳାକୁ ୧-୧ରେ ଅମୀସାଂସିତ ରଖିବା ଆଶା ନେଇ ପଡ଼ିଆକୁ ଓହ୍ଲାଇବ । ଭାରତ ଶେଷଥର ପାଇଁ ୨୦୨୩ ଜୁଲାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବିଦେଶ ମାଟିରେ ଟେଷ୍ଟ୍ ସିରିଜ୍ ଜିତିଥିଲା । ଏହାପରେ ଅଷ୍ଟ୍ରେଲିଆଠାରୁ ସିରିଜ୍ ହାରିଥିବା ବେଳେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷ ବିଦେଶ ସିରିଜ୍ ଡ୍ର’ ରହିଥିଲା । ତେଣୁ କଲମ୍ବୋରେ ଆଉ ଏକ ଆଧିପତ୍ୟଭରା ବିଜୟ ହାସଲ କରି ଶ୍ରୀଲଙ୍କାକୁ ଏକତରଫା ଭାବେ ୨-୦ରେ ହରାଇବା ଭାରତୀୟ ଦଳ ପାଇଁ କିନ୍ତୁ ଅଧିକ ଗୁରୁତ୍ୱ ବହନ କରିବ। ପ୍ରଥମ ଟେଷ୍ଟ୍ ବିଜୟ ପରେ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ିଛି ।
ତେବେ ପ୍ରଥମ ଟେଷ୍ଟ୍ ର ଦ୍ବିତୀୟ ପାଳିରେ ଦଳ ଯେଭଳି ଭାବେ ବ୍ୟାଟିଂ କରିଥିଲା ଦ୍ବିତୀୟ ଟେଷ୍ଟ୍ ରେ ତାକୁ ନ ଦୋହରାଇବାକୁ ଚାହିଁବ । ବ୍ୟକ୍ତିଗତ ଭାବେ ଗିଲ୍ ନିଜେ ଭଲ ଫର୍ମରେ ସୁଧାର ଆଣିବା ଯୋଜନାରେ ରହିବେ । ଆଜିର ମ୍ୟାଚରେ ବଡ଼ ପାଳି ଖେଳି ନିଜ ସାମ୍ପ୍ରତିକ ଦୁର୍ବଳତା ଦୂର କରିବାକୁ ସେ ବ୍ୟଗ୍ର ରହିବେ। ଅନ୍ୟପକ୍ଷରେ ଓପନର୍ ଯଶସ୍ୱୀ ଜୟସ୍ୱାଲଙ୍କ ଫର୍ମ ମଧ୍ୟ ଚିନ୍ତାର କାରଣ । ଗତବର୍ଷ ନୂଆଦିଲ୍ଲୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶତକ ହାସଲ କରିବା ପରେ ତାଙ୍କ ଶେଷ ୮ ଇନିଂସ୍ ରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ରହିଛି। ଗଲ୍ ଟେଷ୍ଟରେ ମଧ୍ୟ ସେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ । ସେଥିପାଇଁ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ନେଟ୍ସରେ ତାଙ୍କ ବ୍ୟାଟିଂ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର । ବୋଲିଂ ବିଭାଗରେ ମଧ୍ୟ ଭାରତ ସାମ୍ନାରେ ଚୟନ ଦ୍ୱନ୍ଦ୍ୱ ରହିଛି । ପ୍ରଥମ ଟେଷ୍ଟ୍ ରେ କୁଲଦୀପ ଯାଦବ ୨୫ ଓଭର ବୋଲିଂ କରି ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ । ସେ ପ୍ରତି ଓଭରରେ ୪ରୁ ଅଧିକ ରନ୍ ବ୍ୟୟ କରିଥିଲେ । ତେଣୁ ତାଙ୍କ ସ୍ଥାନରେ ଅଫ୍ ସ୍ପିନର୍ ସାରାଂଶ ଜୈନଙ୍କୁ ସୁଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । ଶ୍ରୀଲଙ୍କା ଦଳରେ ଅନେକ ବାମହାତୀ ବ୍ୟାଟର୍ ଥିବାରୁ ସାରାଂଶଙ୍କୁ ଖେଳାଇବା ଏକ ରଣନୀତିକ ପଦକ୍ଷେପ ହୋଇପାରେ । ତେବେ ଗୋଟିଏ ମ୍ୟାଚ୍ ପରେ ଅଭିଜ୍ଞ କୁଲଦୀପଙ୍କୁ ବାଦ୍ ଦେବା ନେଇ ଦଳ ପରିଚାଳନା କେତେ ଦୂର ଯିବ, ତାହା ଦେଖିବାକୁ ପଡ଼ିବ। କଲମ୍ବୋର ପିଚ୍ କୁ ଦେଖି ଚୂଡ଼ାନ୍ତ ଏକାଦଶ ନିର୍ଦ୍ଧାରଣ ହେବ।

Share In Social Media
Scroll to Top