
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ଲଗାତାର ଦ୍ୱିତୀୟ ଥର ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ପାକିସ୍ତାନକୁ ୧୯ ରନ୍ରେ ପରାସ୍ତ କରି ଭାରତ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛି । ଫାଇନାଲରେ ଭାରତର ବ୍ୟାଟିଂ ଓ ପରେ ବୋଲରଙ୍କ ଲଢ଼ୁଆ ପ୍ରଦର୍ଶନ ଦଳକୁ ଚାମ୍ପିଅନ୍ କରିଛି । ଭାରତ ଦେଇଥିବା ୨୧୨ ରନ୍ର ଟାର୍ଗେଟ୍ର ପିଛା କରି ପାକିସ୍ତାନୀ ଦଳ ନିର୍ଦ୍ଧାରିତ ଓଭରରେ ଲକ୍ଷ୍ୟ ହାସଲ କରିପାରିନଥିଲା। ପାକିସ୍ତାନ ପକ୍ଷରୁ ହସନ ନୱାଜ ଜବରଦସ୍ତ ବ୍ୟାଟିଂ କରି ୯୬ ରନ୍ର ଲଢ଼ୁଆ ଇନିଂସ ଖେଳିଥିଲେ । ଶେଷ ପର୍ଯ୍ୟନ୍ତ ସେ ଭାରତୀୟ ବୋଲରଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ।
ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ଭାରତର ଆରମ୍ଭ ଖୁବ୍ ଭଲ ହୋଇନଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ ଇନିଂସ୍ ଆରମ୍ଭ କରିଥିଲେ । ବୈଭବ କିଛି ଭଲ ଷ୍ଟ୍ରୋକ୍ ଖେଳିଥିଲେ ଏବଂ ଲାଗୁଥିଲା ଯେ ସେ ଏକ ବଡ଼ ଇନିଂସ୍ ଖେଳିବେ । କିନ୍ତୁ ତାହା ହୋଇନଥିଲା। ସେ ୯ ବଲରୁ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ଇନିଂସ୍ରେ ଦୁଇଟି ଛକା ଥିଲା । ଏହାପରେ ତୃତୀୟ ସ୍ଥାନରେ ଆସିଥିବା ସଞ୍ଜୁ ସାମସନ୍ ମଧ୍ୟ ଶୀଘ୍ର ଆଉଟ୍ ହୋଇଥିଲେ। ସେ ୪ ବଲରୁ ମାତ୍ର ୨ ରନ୍ କରିଥିଲେ । ତେବେ ଅଭିଷେକ ଶର୍ମା ଗୋଟିଏ ପଟେ ଇନିଂସ୍ ସମ୍ଭାଳିଥିଲେ । ତାଙ୍କୁ ଅଧିନାୟକ ଶ୍ରେୟସ ଆୟର କିଛି ସମୟ ପାଇଁ ସାଥ୍ ଦେଇଥିଲେ । ଶ୍ରେୟସ ଆୟର ଧୀରେ ବ୍ୟାଟିଂ କରୁଥିଲେ । ପରେ ଦ୍ରୁତ ରନ୍ କରିବାକୁ ଚେଷ୍ଟା କରି ସେ ଆଉଟ୍ ହୋଇଥିଲେ । ସେ ୨୪ ବଲରୁ ୨୧ ରନ୍ କରିଥିଲେ ।
ଅନ୍ୟପଟେ ଅଭିଷେକ ଶର୍ମା ନିଜ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ ଜାରି ରଖିଥିଲେ । ସେ ଚମତ୍କାର ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାପରେ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଆଉଟ୍ ହୋଇଥିଲେ । ସେ ୨୮ ବଲରୁ ୬୧ ରନ୍ର ଦ୍ରୁତ ଇନିଂସ୍ ଖେଳିଥିଲେ । ତାଙ୍କ ଇନିଂସ୍ରେ ୭ଟି ଛକା ଓ ୩ଟି ଚୌକା ସାମିଲ ଥିଲା । ଇଶାନ କିଶନ ଆଉଟ୍ ହେବା ପରେ ଭାରତର ରନ୍ ଗତି କିଛିଟା ଧୀର ହୋଇଯାଇଥିଲା । ଶିଭମ ଦୁବେ ଓ ତିଲକ ବର୍ମା ଆରମ୍ଭରେ ସତର୍କତାର ସହ ବ୍ୟାଟିଂ କରୁଥିଲେ । କିନ୍ତୁ ଶେଷ ଓଭରଗୁଡ଼ିକ ଆରମ୍ଭ ହେବା ପରେ ତିଲକ ଓ ଶିଭମ ନିଜ ଗିୟର ବଦଳାଇ ଦ୍ରୁତ ରନ୍ ସଂଗ୍ରହ କରିଥିଲେ । ତିଲକ ବର୍ମା ୨୨ ବଲରୁ ୫୧ ରନ୍ କରି ଅପରାଜିତ ଫେରିଥିଲେ। ତାଙ୍କ ଇନିଂସ୍ରେ ୪ଟି ଛକା ଓ ୩ଟି ଚୌକା ଥିଲା । ଶିଭମ ଦୁବେ ୧୫ ବଲରୁ ୨୭ ରନ୍ କରିଥିଲେ । ଏଥିରେ ୨ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଫଳରେ ଭାରତ ୨୦ ଓଭରରେ ୨୧୧ ରନ୍ କରିଥିଲା । ଏହାପରେ ପାକିସ୍ତାନର ଇନିଂସ୍ ଆରମ୍ଭ ହୋଇଥିଲା। ଆରମ୍ଭରୁ ହିଁ ପାକିସ୍ତାନ ଚାପରେ ରହିଥିଲା। ଅଧିନାୟକ ସାହିବଜାଦା ଫରହାନ୍ ୧୧ ବଲରୁ ୧୦ ରନ୍ କରି ଆଉଟ୍ ହୋଇଥିଲେ । ଉସମାନ ଖାନ୍ ମଧ୍ୟ ମାତ୍ର ୩ ରନ୍ କରି ପାଭିଲିଅନ୍ ଫେରିଥିଲେ ।





