
ନୂଆଦିଲ୍ଲୀ : ଚିନି ପିଆଜର ଦର ବୃଦ୍ଧି ପାଇବା ପରେ, ବର୍ତ୍ତମାନ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ ପ୍ରାୟ ୩୫-୪୦ ପ୍ରତିଶତ ବୃଦ୍ଧି ଘଟିଛି । ନ୍ୟାସନାଲ୍ ଏଗ୍ କୋ-ଅର୍ଡିନେସନ୍ କମିଟି ଅନୁଯାୟୀ, ପୋଲଟ୍ରି ଫାର୍ମରୁ ବାହାରୁଥିବା ଗୋଟିଏ ଅଣ୍ଡାର ମୂଲ୍ୟ ପ୍ରାୟ ୭ ଟଙ୍କାରେ ପହଞ୍ଚିଥିବା ବେଳେ ଖୁଚୁରା ବଜାରରେ ଏହା ୮.୫୦ ରୁ ୯ ଟଙ୍କାରେ ବିକ୍ରି ହେଉଛି। ଅଣ୍ଡା ଦର ବୃଦ୍ଧିର ମୁଖ୍ୟ କାରଣ ହେଉଛି କୁକୁଡ଼ା ଦାନା (ପୋଲଟ୍ରି ଫିଡ୍)ର ବର୍ଦ୍ଧିତ ଖର୍ଚ୍ଚ । କୁକୁଡ଼ା ଦାନା ପ୍ରସ୍ତୁତିରେ ମକା ହେଉଛି ମୁଖ୍ୟ କଞ୍ଚାମାଲ। ପେଟ୍ରୋଲରେ ଇଥାନଲ୍ ମିଶ୍ରଣ ନୀତି ଯୋଗୁଁ ଇଥାନଲ୍ ଉତ୍ପାଦନ ପାଇଁ ମକାର ଚାହିଦା ବ୍ୟାପକ ଭାବେ ବୃଦ୍ଧି ପାଇଛି। ଇଥାନୋଲ୍ ଉତ୍ପାଦନ ପାଇଁ ପ୍ରାୟ ୧୨୫.୭୮ ଲକ୍ଷ ଟନ୍ ମକା ବ୍ୟବହାର ହେବାର ଆକଳନ କରାଯାଇଛି।





