
ମୁମ୍ବାଇ : ବଲିଉଡ୍ର ବିଗ୍ ବି ଅମିତାଭ ବଚ୍ଚନଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଅକ୍ଟୋବର ୯ ତାରିଖରେ ଜଷ୍ଟିସ୍ ପୁରୁଷୈନ୍ଦ୍ର କୁମାର କୌରବଙ୍କ ଅଦାଲତ ଏହି ଆଦେଶ ଦେଇଛନ୍ତି । ନିଜ ବ୍ୟକ୍ତିତ୍ୱ ଅଧିକାର ସହ ଜଡ଼ିତ ଏକ ମାମଲାରେ ଆପୋସ ବୁଝାମଣା ନହେଲେ ତାଙ୍କୁ ନିଜେ ଅଦାଲତରେ ହାଜର ହେବାକୁ ପଡ଼ିପାରେ ।
ଅମିତାଭ ବଚ୍ଚନ ୨୦୨୨ ମସିହାରେ ନିଜ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ। ଏଥିରେ ସେ ନିଜ ନାମ, ଫଟୋ, ସ୍ୱର ଏବଂ ପରିଚୟ ସହ ଜଡ଼ିତ ଅନ୍ୟାନ୍ୟ ବିଷୟର ଅନୁଚିତ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ । ତାଙ୍କ କହିବା ଅନୁଯାୟୀ, କିଛି ଲୋକ ବିନା ଅନୁମତିରେ ତାଙ୍କ ନାମ ଓ ଲୋକପ୍ରିୟତାର ବ୍ୟବହାର କରି ନିଜର ଫାଇଦା ଉଠାଉଛନ୍ତି । ଏହାରି ମଧ୍ୟରେ ଏହି ମାମଲାରେ ପ୍ରସିଦ୍ଧ ଆଇନଜୀବୀ ହରିଶ ସାଲଭେ ଅମିତାଭ ବଚ୍ଚନଙ୍କ ପକ୍ଷରୁ ଅଦାଲତରେ ଯୁକ୍ତି ଉପସ୍ଥାପନ କରିଥିଲେ । ଯାଚିକାରେ କୁହାଯାଇଥିଲା ଯେ, କିଛି ମୋବାଇଲ୍ ଆପ୍ ପରିଚାଳକ ଲଟେରି ସମ୍ବନ୍ଧୀୟ କାର୍ଯ୍ୟକଳାପ ପାଇଁ ଅମିତାଭ ବଚ୍ଚନଙ୍କ ନାମ ବ୍ୟବହାର କରୁଥିଲେ । ଏହା ସହିତ କିଛି ଲୋକ ତାଙ୍କ ଫଟୋ ଥିବା ଟି-ସାର୍ଟ ମଧ୍ୟ ବିକ୍ରି କରୁଥିଲେ । ଏଭଳି ବ୍ୟବହାର ଦ୍ୱାରା ଅଭିନେତାଙ୍କ ଛବି ଓ ପ୍ରତିଷ୍ଠା କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିବା ଦର୍ଶାଯାଇଥିଲା । ଫଳରେ ୨୦୨୨ ମସିହାରେ ଦିଲ୍ଲୀ ହାଇକୋର୍ଟ ଅମିତାଭ ବଚ୍ଚନଙ୍କ ସପକ୍ଷରେ ଏକ ଅନ୍ତରୀଣ ଆଦେଶ ଜାରି କରିଥିଲେ । ଅମିତାଭ ବଚ୍ଚନ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଏବଂ ସେ ଅନେକ ଆଡଭର୍ଟାଇଜରରେ ନଜର ଆସନ୍ତି ବୋଲି ଅଦାଲତ କହିଥିଲେ । ତେଣୁ ତାଙ୍କ ଅନୁମତି ବିନା ତାଙ୍କ ନାମ ଓ ପରିଚୟ ବ୍ୟବହାର କରି ନିଜର ସାମଗ୍ରୀ କିମ୍ବା ସେବାର ପ୍ରଚାର କରିବା ଉଚିତ ନୁହେଁ । ଏଭଳି କାର୍ଯ୍ୟକଳାପ ଅଭିନେତାଙ୍କୁ କ୍ଷତି ପହଞ୍ଚାଇବା ସହ ତାଙ୍କ ପ୍ରତିଷ୍ଠା ଉପରେ ମଧ୍ୟ ପ୍ରଭାବ ପକାଇପାରେ ବୋଲି ମଧ୍ୟ ଅଦାଲତ କହିଥିଲେ । ଏହାକୁ ଦୃଷ୍ଟିରେ ରଖି ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଅଦାଲତ ଆଦେଶ ଜାରି କରିଥିଲେ ।
ଅନ୍ୟପଟେ ନିକଟରେ ଅଦାଲତଙ୍କୁ ଜଣାଇ ଦିଆଯାଇଥିଲା ଯେ, ଏହି ମାମଲାରେ ଅନ୍ୟ କିଛି ପକ୍ଷଙ୍କ ସହ ଆପୋସ ବୁଝାମଣା ହୋଇଛି । ତେବେ ବୁଝାମଣା ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏହି ପ୍ରକ୍ରିୟାଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଅମିତାଭ ବଚ୍ଚନଙ୍କ ପକ୍ଷରୁ ଅଧିକ ସମୟ ମଗାଯାଇଥିଲା । ଏହାପରେ ଅଦାଲତ ୧୬ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ।





