
ନୂଆଦିଲ୍ଲୀ : ୨୦୨୭ ବିଶ୍ୱକପ୍ ଖେଳିବେ ରୋହିତ ଶର୍ମା । ତାଙ୍କୁ ବିସିସିଆଇ ଟୁର୍ଣ୍ଣାମେଣ୍ଟରେ ଖେଳାଇବା ଦରକାର । ସେ ଖେଳିଲେ ଅନ୍ୟ ପ୍ଲେୟାରଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଏମିତି କିଛି କହିଛନ୍ତି ଭାରତୀୟ ଦଳର ପୂର୍ବତନ ବ୍ୟାଟର ଆଜିଙ୍କ୍ୟ ରାହାଣେ । ରୋହିତଙ୍କୁ ନେଇ ବିସିସିଆଇ କୌଣସି ଦ୍ୱନ୍ଦ୍ୱରେ ରହିବା କଥା ନୁହେଁ ବୋଲି ମଧ୍ୟ ରାହାଣେ ପ୍ରକାଶ କରିଛନ୍ତି ।
ଗତ କିଛି ଦିନ ଧରି ରୋହିତଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ସେ ଆଗାମୀ ଦିନରେ ଖେଳିବେ ନା ନାହିଁ ବୋଲି ଚର୍ଚ୍ଚା ହେଉଛି । ଗତ ଇଂଲଣ୍ଡ ବିପକ୍ଷରେ ଲର୍ଡସରେ ଖେଳାଯାଇଥିବା ଶେଷ ଦିନିକିଆ ରୋହିତଙ୍କ ଶେଷ ମୁକାବିଲା ହେବ ବୋଲି କେହି କେହି କହିଥିଲେ । କିନ୍ତୁ ରୋହିତ ମ୍ୟାଚରେ ଐତିହାସିକ ପାଳି ଖେଳି ସମସ୍ତ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲେ । ଏହାସହ ଅବସର ଚର୍ଚ୍ଚାରେ ଫୁଲଷ୍ଟପ୍ ଲଗାଇଥିଲେ । ଏସବୁକୁ ନେଇ ରାହାଣେ କହିଛନ୍ତି ଯେ, ରୋହିତ ୨୦୨୭ ବିଶ୍ୱକପ୍ ଖେଳିବେ ଏହି କଥା ବିସିସିଆଇ ଘୋଷଣା କରିବା ଦରକାର । ରୋହିତଙ୍କୁ ମଧ୍ୟ ଏବାବଦରେ ସ୍ପଷ୍ଟ ଭାବେ ବିସିସିଆଇ ଜଣାଇବା ଉଚିତ । ବର୍ଷ ବର୍ଷ ଧରି ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କ ଅବଦାନ ଖୁବ୍ ଅଧିକ ରହିଛି । ଏପରି ଖେଳାଳି ବିଶ୍ୱକପ୍ ଟିମରେ ଆବଶ୍ୟକ । ଭାରତୀୟ ଦଳର ଚୟନକର୍ତ୍ତା ସର୍ଟ୍ ଟର୍ମ୍ ଗୋଲ୍ କଥା ନ ଭାବି ଦୀର୍ଘମିୟାଦୀ ଯୋଜନା ପ୍ରସ୍ତୁତ କରନ୍ତୁ ।

