
ମୁମ୍ବାଇ : ବଲିଉଡର ଅଭିନେତା ଅଜୟ ଦେବଗନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ ୩’ ରିଲିଜ୍ ପୂର୍ବରୁ ହିଁ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବା ଆରମ୍ଭ କରିଦେଇଛି। ଆଡଭାନ୍ସ ବୁକିଂ ମାଧ୍ୟମରେ ଏହି ଚଳଚ୍ଚିତ୍ରଟି ଐତିହାସିକ ସଫଳତା ଆଡ଼କୁ ଅଗ୍ରସର ହେଉଛି।
ରିଲିଜ୍ ପୂର୍ବରୁ ହିଁ ଫିଲ୍ମର ଟିକେଟ୍ ଆଡଭାନ୍ସ ବୁକିଂ ଜୋରସୋରରେ ଚାଲିଛି । ଫିଲ୍ମର ଆଡଭାନ୍ସ ବୁକିଂ ଆୟ ୧୯.୧୯ କୋଟି ଟଙ୍କା ପାର କରିଛି । ‘ଦୃଶ୍ୟମ’ ଫ୍ରାଞ୍ଚାଇଜର ଏହି ପାର୍ଟ-3 କୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦୋଖା ଦେଇଛି । ରିଲିଜ୍ ପୂର୍ବରୁ ଟିକେଟ୍ ବିକ୍ରି ଦେଖିଲେ ଫିଲ୍ମଟି ଓପନିଂ ଡେ’ରେ ଭଲ କଲେକ୍ସନ୍ କରିପାରେ ଆକଳନ କରାଯାଉଛି ।
ରିପୋର୍ଟ ଅନୁସାରେ, ‘ଦୃଶ୍ୟମ ୩: ଦ କନକ୍ଲୁଜନ୍’ର ଆଡଭାନ୍ସ ବୁକିଂ ଫିଲ୍ମ ରିଲିଜ୍ ହେବାର ପ୍ରାୟ ୫ଦିନ ପୂର୍ବରୁ ଆରମ୍ଭ ହୋଇଥିଲା । ତଥ୍ୟ ଅନୁଯାୟୀ, ତିନି ଦିନରେ ଫିଲ୍ମ ପାଇଁ ପ୍ରାୟ ୧୯.୧୯ କୋଟି ଟଙ୍କାର ଆଡଭାନ୍ସ ବୁକିଂ ସରିଛି । ଏହାସହ ପ୍ରାୟ ୨୧,୨୮୧ଟି ଶୋ’ ପାଇଁ ପ୍ରାୟ ୪.୭୭ ଲକ୍ଷ ଟିକେଟ୍ ବିକ୍ରି ହୋଇସାରିଛି ।
ରିଲିଜ୍ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂର ଗତିକୁ ଦେଖି ଟ୍ରେଡ୍ ଏକ୍ସପର୍ଟମାନେ ଏହାର ଓପନିଂକୁ ନେଇ ଆକଳନ କରୁଛନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଭାରତରେ ଫିଲ୍ମର ପ୍ରଥମ ଦିନର ନେଟ୍ କଲେକ୍ସନ୍ ୪୦ କୋଟି ଟଙ୍କାରୁ ଅଧିକ ହୋଇପାରେ । ତେବେ ଏହା ଏକ ଅନୁମାନ ମାତ୍ର । ଏହାକୁ ଫିଲ୍ମର ନିଶ୍ଚିତ ଓପନିଂ କଲେକ୍ସନ୍ ବୋଲି କୁହା ଯାଇପାରିବ ନାହିଁ । ଅକ୍ଟୋବର ୨ରେ ପ୍ରକୃତରେ କେତେ ଟିକେଟ୍ ବିକ୍ରି ହେଉଛି, ଦର୍ଶକଙ୍କ ପ୍ରତିକ୍ରିୟା କିଭଳି ରହୁଛି, ତାହା ଉପରେ ଫିଲ୍ମର ପ୍ରକୃତ ଓପନିଂ କଲେକ୍ସନ୍ ନିର୍ଭର କରିବ ।





