
ଦୁବାଇ : ମହିଳା ଏସିଆ କପ୍ କ୍ରିକେଟ୍ର ଦଶମ ସଂସ୍କରଣରେ ସହଜ ବିଜୟ ସହ ଭାରତ ତା’ର ଅଭିଯାନ ଆରମ୍ଭ କରିଛି। ରବିବାର ଗ୍ରୁପ୍ ‘ଏ’ରେ ଭାରତ ତା’ର ପ୍ରଥମ ମ୍ୟାଚ୍ରେ ଦୁର୍ବଳ ଥାଇଲାଣ୍ଡକୁ ୯୪ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଟ୍ବେଣ୍ଟି୨୦ ଫର୍ମାଟରେ ଖେଳା ଯାଉଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ଶେଫାଳି ବର୍ମାଙ୍କ ବିସ୍ଫୋରକ ୬୫ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ଭାରତୀୟ ମହିଳା ଦଳ ୯ ୱିକେଟ୍ରେ ୧୫୯ ରନ୍ କରିଥିଲା। ପରେ ଭାରତୀୟ ବୋଲରଙ୍କ ସାମୂହିକ ସଫଳତା ବଳରେ ୧୬.୧ ଓଭରରେ ମାତ୍ର ୬୫ ରନ୍କରି ଥାଇଲାଣ୍ଡ ଅଲ୍ଆଉଟ୍ ହୋଇ ଯାଇଥିଲା। ଏହି ବିଜୟରୁ ଭାରତ ୨ ପଏଣ୍ଟ ପାଇଛି। ଆସନ୍ତା ଗୁରୁବାର ହଂକଂ ବିପକ୍ଷରେ ଭାରତୀୟ ମହିଳା ଦଳ ୨ୟ ଲିଗ୍ ମ୍ୟାଚ୍ ଖେଳିବ। ହଂକଂକୁ ପରାସ୍ତ କରିଥିବା ଥାଇଲାଣ୍ଡ ପ୍ରଥମ ପରାଜୟ ଭୋଗିଛି।
ଟସ୍ ଜିତି ଥାଇଲାଣ୍ଡ ଫିଲ୍ଡିଂ କରିବାରୁ ଭାରତ ପୂରା ୨୦ ଓଭର ଖେଳିବାର ସୁଯୋଗ ପାଇଥିଲା। ଭାରତୀୟ ଓପ୍ନିଂ ଯୋଡ଼ି ୩ୟ ଓଭରରେ ୩୮ ରନ୍ କରିବା ପରେ ତାରକା ଓପ୍ନର ସ୍ମୃତି ମାନ୍ଧାନା ୧୦ ବଲ୍ରୁ ୪ଟି ଚୌକା ସହ ୧୯ ରନ୍କରି ଆଉଟ୍ ହୋଇଥିଲେ। ଟ୍ବେଣ୍ଟି୨୦ ପଦାର୍ପଣ କରିଥିବା ପ୍ରତୀକା ରାୱଲଙ୍କ ସହ ଶେଫାଳି ବର୍ମା ୨ୟ ୱିକେଟ୍ ପାଇଁ ଦ୍ରୁତ ୫୩ ରନ୍ ଯୋଡ଼ିଥିଲେ। ପ୍ରତିକା ରାୱଲ ୧୮ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୨ ରନ୍ କରିଥିଲେ। ଭାରତ ୯ ଓଭରରେ ୯୧ ରନ୍ କରିଥିବା ବେଳେ ନିୟମିତ ୱିକେଟ୍ ହରାଇବା ଯୋଗୁଁ ବଡ଼ ସ୍କୋର୍ କରି ପାରିନଥିଲା। ଶେଷ ୧୧ ଓଭରରୁ ଭାରତ ମାତ୍ର ୬୮ ରନ୍ କରି ପାରିଥିଲା। ଅଧିନାୟିକା ହରମନପ୍ରୀତ କୌର ୫, ରିଚା ଘୋଷ ୦ ଓ ଦୀପ୍ତି ଶର୍ମା ୫ ରନ୍ କରିଥିଲେ। ଭାରତୀ ଫୁଲ୍ମାଲି ୧୩ ରନ୍ କରିଥିଲେ। ଶେଫାଳି ବର୍ମା ବିସ୍ଫୋରକ ବ୍ୟାଟିଂକରି ମାତ୍ର ୩୬ ବଲ୍ରୁ ୩ଟି ଛକା ଓ ୮ଟି ଚୌକା ସହ ୬୪ ରନ୍ କରିଥିଲେ। ୫୧ ରନ୍ରେ ଭାରତ ଶେଷ ୭ଟି ୱିକେଟ୍ ହରାଇଥିଲା। ଥାଇଲାଣ୍ଡ ୧୬୦ ରନ୍ର ପିଛା କରିଥିବା ବେଳେ କେବଳ ଜଣେ ବ୍ୟାଟର ନାନାପଟ୍ କୋଞ୍ଚାରୋଏଙ୍କାଇ ଦୁଇଅଙ୍କ ସ୍କୋର୍ କରି ପାରିଥିଲେ। କୋଞ୍ଚାରୋଏଙ୍କାଇ ୪୮ ବଲ୍ରୁ ୫ଟି ଚୌକା ସହ ୪୧ ରନ୍ କରିଥିଲେ। ଭାରତର ନନ୍ଦିନୀ ଶର୍ମା ଓ ଦିପ୍ତୀ ଶର୍ମା ୩ଟି ଲେଖାଏଁ ଏବଂ ଶ୍ରୀ ଚରଣି ୨ଟି ୱିକେଟ୍ ନେଇଥିଲେ।





