
ନୂଆଦିଲ୍ଲୀ : ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିଶ୍ୱ ଚାମ୍ପିଅନଶିପ୍ରୁ ବାଦ୍ ପଡ଼ିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଖେଳାଯାଇଥିବା ରାଉଣ୍ଡ ଅଫ୍ ୧୬ ମ୍ୟାଚ୍ରେ ଚୀନ୍ର ଖେଳାଳି ସିନ୍ଧୁଙ୍କୁ ୩ଟି ସେଟ୍ରେ ୨୧-୧୧, ୧୫-୨୧, ୨୧-୧୭ରେ ପରାସ୍ତ କରିଛନ୍ତି। ସିନ୍ଧୁ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ଭାଗ ନେଇଥିଲେ।
ଏହା ପ୍ରଥମ ଥର ହୋଇଛି ଯେ, ବିଶ୍ୱ ଚାମ୍ପିଅନଶିପ୍ରେ ଭାରତୀୟ ଖେଳାଳି ସିନ୍ଧୁ ଚୀନ୍ର କୌଣସି ଖେଳାଳିଙ୍କଠାରୁ ପରାଜୟର ସାମ୍ନା କରିଛନ୍ତି। ଏହା ପୂର୍ବରୁ ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁ ବିଶ୍ୱ ଚାମ୍ପିଅନଶିପ୍ରେ ଚୀନ୍ର ଖେଳାଳିଙ୍କୁ ୮ ଥର ପରାସ୍ତ କରିଥିଲେ। ଏବେ ୱାଙ୍ଗ୍ ଝି ୟି ଏହି ମଞ୍ଚରେ ସିନ୍ଧୁଙ୍କୁ ହରାଇଥିବା ଚୀନ୍ର ପ୍ରଥମ ଖେଳାଳି ହୋଇଛନ୍ତି। ପ୍ରଥମ ସେଟ୍କୁ ୨୧-୧୧ରେ ହାରିବା ପରେ ସିନ୍ଧୁ ଦ୍ୱିତୀୟ ସେଟ୍ରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୨୧-୧୫ରେ ବିଜୟୀ ହୋଇଥିଲେ। ଫଳରେ ମ୍ୟାଚ୍ ତୃତୀୟ ସେଟ୍କୁ ଯାଇଥିଲା।କିନ୍ତୁ ନିର୍ଣ୍ଣାୟକ ସେଟ୍ରେ ସିନ୍ଧୁ ବିଜୟର ଲାଇନ୍ ପାର୍ କରିପାରିନଥିଲେ। ତୃତୀୟ ସେଟ୍ରେ ଚୀନ୍ର ଖେଳାଳି ୨୧-୧୭ରେ ସିନ୍ଧୁଙ୍କୁ ପରାସ୍ତ କରି ମ୍ୟାଚ୍ ନିଜ ନାମରେ କରିଥିଲେ।ତୃତୀୟ ସେଟ୍ରେ ସିନ୍ଧୁ ଦମଦାର ଆରମ୍ଭ କରିଥିଲେ। ସେ ୩-୦ରେ ଆଗୁଆ ଥିଲେ। ଏହା ଦେଖି ଲାଗୁଥିଲା ଯେ ସେ ସହଜରେ ଏହି ସେଟ୍ ଜିତି ମ୍ୟାଚ୍ ନିଜ ନାମରେ କରିନେବେ। ପରେ ସିନ୍ଧୁ ୮-୪ରେ ମଧ୍ୟ ଆଗୁଆ ହୋଇଥିଲେ।
ଏହି ସମୟରେ ତାଙ୍କ ବିଜୟ ପ୍ରାୟ ନିଶ୍ଚିତ ଲାଗୁଥିଲା। କିନ୍ତୁ ୱାଙ୍ଗ୍ ଝି ୟି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ଇଣ୍ଟରଭାଲ୍ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ୧୧-୧୦ରେ ଆଗୁଆ ଥିଲେ। କିନ୍ତୁ ଧୀରେ ଧୀରେ ସେଟ୍ର ଗତିପଥ ବଦଳିଯାଇଥିଲା ଏବଂ ଶେଷରେ ମ୍ୟାଚ୍ ଚୀନ୍ର ଖେଳାଳିଙ୍କ ସପକ୍ଷରେ ଯାଇଥିଲା।





