
ଭୁବନେଶ୍ୱର : ସାରା ରାଜ୍ୟରେ ହୁ ହୁ ହୋଇ ବଢୁଛି ପିଆଜର ଦର। ବଜାରରେ ପିଆଜ ଦର ହଠାତ୍ ବଢ଼ିବାରୁ ଖାଉଟିଙ୍କ ଚିନ୍ତା ବଢ଼ିଛି। କେଜି ପିଛା ପିଆଜ ଦର ୫୦ ଟଙ୍କା ଟପିଥିବା ଅଭିଯୋଗ ହୋଇଛି। ସାଧାରଣ ଲୋକଙ୍କ କହିବା ଅନୁସାରେ, ଦୁଇ ଦିନ ତଳେ ୩ କିଲୋ ପିଆଜ ୧୦୦ ଟଙ୍କାରେ ମିଳୁଥିଲା। ଏବେ ସେହି ପିଆଜ ପାଇଁ କେଜି ପିଛା ପ୍ରାୟ ୫୦ ଟଙ୍କା ଦେବାକୁ ପଡ଼ୁଛି। ଦର ବଢ଼ିବା ସହ କେତେକ ସ୍ଥାନରେ ନିମ୍ନମାନର ପିଆଜ ଭଲ ପିଆଜ ଦରରେ ବିକ୍ରି ହେଉଥିବା ଅଭିଯୋଗ ମଧ୍ୟ ଆସିଛି।
ପିଆଜ ଦର ବୃଦ୍ଧିକୁ ନେଇ ବ୍ୟବସାୟୀ ଓ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। କେତେକ ବ୍ୟବସାୟୀ ଦର ବୃଦ୍ଧି ପାଇଁ ସରକାରଙ୍କ ଦୂରଦୃଷ୍ଟିର ଅଭାବକୁ ଦାୟୀ କରିଛନ୍ତି। ଏହାସହ ପିଆଜ କଳାବଜାରୀ ଓ ନିମ୍ନମାନର ପିଆଜ ବିକ୍ରି ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହାପରେ ଯୋଗାଣ ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ୪ଟି ଟିମ୍ ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, ବୋଲଗଡ଼ ଓ ବେଗୁନିଆର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛନ୍ତି।





