
ନୂଆଦିଲ୍ଲୀ : ପୁରୁଷଙ୍କ ପରେ ଭାରତୀୟ ମହିଳା ହକି ଦଳ ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ-୨୦୨୬ର ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛି। ଗୁରୁବାର ପୁଲ୍ ‘ଡି’ର ଇଂଲଣ୍ଡ ବିପକ୍ଷ ଶେଷ ଲିଗ୍ ମ୍ୟାଚକୁ ଭାରତ ଗୋଲଶୂନ୍ୟ ଡ୍ର ରଖି ଅପରାଜିତ ରହିବା ସହ ଦ୍ବିତୀୟ ରାଉଣ୍ଡରେ ସ୍ଥାନ ନିଶ୍ଚିତ କରିଛି। ମ୍ୟାଚ ଗୋଲଶୂନ୍ୟ ରହିବାରୁ ଉଭୟ ଭାରତ ଓ ଇଂଲଣ୍ଡ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ଭାରତ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଦୁଇଟି ଡ୍ର ସହ ୫ ପଏଣ୍ଟ ପାଇ ପୁଲ୍ର ଦ୍ବିତୀୟ ଏବଂ ଚୀନ ୭ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହି ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଇଂଲଣ୍ଡ ୪ ପଏଣ୍ଟ ସହ ପୁଲ୍ର ୩ୟ ସ୍ଥାନରେ ରହି ପ୍ରତିଯୋଗିତାରୁ ବିଦାୟ ନେଇଛି।
ଭାରତୀୟ ମହିଳା ଦଳକୁ ଦ୍ବିତୀୟ ରାଉଣ୍ଡକୁ ଯିବା ଲାଗି ଇଂଲଣ୍ଡ ବିପକ୍ଷ ଶେଷ ମ୍ୟାଚକୁ ଅତି କମ୍ରେ ଡ୍ର ରଖିବାର ଆବଶ୍ୟକତା ଥିଲା। ଇଂଲଣ୍ଡ ମଧ୍ୟ ବିଜୟ ହାସଲ ଲକ୍ଷ୍ୟ ନେଇ ଖେଳିଥିଲା। ମ୍ୟାଚ ପ୍ରାରମ୍ଭରୁ ଶେଷ ସେକେଣ୍ଡ ପର୍ଯ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ସ୍ବତନ୍ତ୍ର ରଣନୀତି ସହ ଖେଳିଥିବା ଭାରତ ପ୍ରତିପକ୍ଷ ଇଂଲଣ୍ଡକୁ କଡ଼ା ଟକ୍କର ଦେଇଥିଲା। ଉଭୟ କ୍ବାର୍ଟରରେ ଉଭୟ ଦଳ ଗୋଲ ଦେବାକୁ ଆକ୍ରମଣ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇ ପାରିନଥିଲେ। ତୃତୀୟ କ୍ବାର୍ଟରରେ ଇଂଲଣ୍ଡ ଗୋଲ ଦେବାକୁ ଭାରତ ଉପରେ ଘନଘନ ଆକ୍ରମଣ କରିଥିଲା। ୫୧ ମିନିଟ୍ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। ଉକ୍ତ ପେନାଲ୍ଟି କର୍ଣ୍ଣରକୁ ନେହା ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ୫୨ ମିନିଟ୍ରେ ଇଂଲଣ୍ଡ କ୍ରମାଗତ ୨ଟି ପେନାଲ୍ଟି କର୍ଣ୍ଣର ପାଇଥିଲା। ଉକ୍ତ ଦୁଇ ପେନାଲ୍ଟି କର୍ଣ୍ଣରକୁ ଭାରତୀୟ ଖେଳାଳି ବିଫଳ କରିଥିଲେ। ମ୍ୟାଚରେ ଭାରତୀୟ ରକ୍ଷଣଭାଗ ଚମତ୍କାର ପ୍ରଦର୍ଶନ କରି ଇଂଲଣ୍ଡର ପ୍ରତିଟି ଆକ୍ରମଣକୁ ପଣ୍ଡ କରିବାରେ ସଫଳ ହୋଇଥିଲେ। ଇଂଲଣ୍ଡ ଗୋଲ ଦେବାକୁ ପ୍ରାଣମୂଚ୍ଛା ଉଦ୍ୟମ କରି ବିଫଳ ହୋଇଥିଲା। ଦ୍ବିତୀୟ ରାଉଣ୍ଡରେ ଭାରତ ପୁଲ୍ ‘ଇ’େର ନେଦରଲାଣ୍ଡ୍ସ, ଚୀନ ଓ ଅଷ୍ଟ୍ରେଲିଆ ସହ ସ୍ଥାନପାଇଛି। ଭାରତ ୨୧ରେ ନେଦରଲାଣ୍ଡ୍ସ ଓ ୨୩ରେ ଅଷ୍ଟ୍ରେଲିଆ ସହ ୨ୟ ରାଉଣ୍ଡ ମ୍ୟାଚ ଖେଳିବ।





