odisha24 Live

Latest News

Latest News

ବିଶ୍ୱ ଦେଖିବ ହ୍ୟୁମାନଏଡ୍ ର କମାଲ

ବେଜିଂ : ଚୀନର ବେଜିଂଠାରେ ଦ୍ଵିତୀୟ ‘ୱାର୍ଲ୍ଡ ହ୍ୟୁମାନଏଡ୍ ରୋବଟ୍ ଗେମ୍ସ’ ବା ‘ରୋବଟ୍ ଅଲିମ୍ପିକ୍ସ’ ଆୟୋଜିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତା ଅଗଷ୍ଟ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଅତ୍ୟାଧୁନିକ ହ୍ୟୁମାନଏଡ୍ ରୋବଟ୍ (ମଣିଷ ଭଳି ଦେଖାଯାଉଥିବା ରୋବଟ୍) ନିଜର ଦକ୍ଷତା ପ୍ରଦର୍ଶନ କରିବେ। ସୂଚନା ଅନୁଯାୟୀ, ଚଳିତବର୍ଷ ପ୍ରତିଯୋଗିତାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । କ୍ରୀଡ଼ାଭିତ୍ତିକ ପ୍ରତିଯୋଗିତା ଓ ବାସ୍ତବ ପରିସ୍ଥିତିଭିତ୍ତିକ ପ୍ରତିଯୋଗିତାରେ ବିଭକ୍ତ କରାଯାଇଛି। ଦୌଡ଼କୁଦ, ଫୁଟବଲ୍, ଜିମ୍ନାଷ୍ଟିକ୍ସ, ଭାରୋତ୍ତୋଳନ, ମାର୍ଶାଲ୍ ଆର୍ଟ, ଷ୍ଟ୍ରିଟ୍ ଡ୍ୟାନ୍ସ, ଟଗ୍ ଅଫ୍ ୱାର୍ ଓ ଟେବୁଲ୍ ଟେନିସ୍ ଭଳି ଅନେକ ରୋମାଞ୍ଚକର ଇଭେଣ୍ଟରେ ରୋବଟ୍ ମାନେ ପରସ୍ପରକୁ ଟକ୍କର ଦେବେ । ଏଥର ସବୁଠାରୁ ବଡ଼ ଆକର୍ଷଣ ହେବ ୧୦୦ ମିଟର ସ୍ୱୟଂଚାଳିତ ଦୌଡ଼ । ଏଥିରେ ମଣିଷର ସିଧାସଳଖ ନିୟନ୍ତ୍ରଣ ବିନା ରୋବଟ୍ କୁ ନିଜେ ଦୌଡ଼ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ଏହାଛଡ଼ା ଘରେ ପୋଷାକ ସଜାଇବା, ଅଗ୍ନିକାଣ୍ଡ ସମୟରେ ନିଆଁ ଲିଭାଇବା, ଖାଦ୍ୟ ପ୍ରସ୍ତୁତ କରିବା ଭଳି ସୂକ୍ଷ୍ମ ଓ ଜଟିଳ କାର୍ଯ୍ୟରେ ମଧ୍ୟ ରୋବଟ୍ ଙ୍କ ଦକ୍ଷତା ପରୀକ୍ଷା ହେବ । କାରଖାନା, ହୋଟେଲ୍ ଓ ଘର ଭଳି ବାସ୍ତବ ପରିବେଶରେ ରୋବଟ୍ ଙ୍କ କାର୍ଯ୍ୟକ୍ଷମତାକୁ ପରଖାଯିବ । ଏହି ପ୍ରତିଯୋଗିତା କେବଳ ରୋବଟ୍ ଙ୍କ ଖେଳକୁଦର ପ୍ରଦର୍ଶନ ନୁହେଁ । ହ୍ୟୁମାନଏଡ୍ ରୋବଟ୍ କେତେ ସ୍ୱୟଂଚାଳିତ, କେତେ ଦକ୍ଷ ଏବଂ ମଣିଷର ଦୈନନ୍ଦିନ ଓ ଶିଳ୍ପ କାର୍ଯ୍ୟରେ କେତେ ଉପଯୋଗୀ ହୋଇପାରିବ—ତାହାର ମଧ୍ୟ ବଡ଼ ପରୀକ୍ଷା ହେବ । ରୋବଟ୍ କୁ କେବଳ ପ୍ରଦର୍ଶନର ମାଧ୍ୟମରେ ସୀମିତ ନରଖି ବାସ୍ତବ ଜୀବନରେ ଉତ୍ପାଦନଶୀଳ ଶକ୍ତି ଭାବେ ବ୍ୟବହାର କରିବା ଦିଗରେ ଏଥରର ପ୍ରତିଯୋଗିତାକୁ ଗୁରୁତ୍ୱ ଦିଆଯାଇଛି । ଗତବର୍ଷ ୨୦୨୫ରେ ଆୟୋଜିତ ପ୍ରଥମ ବିଶ୍ୱ ହ୍ୟୁମାନଏଡ୍ ରୋବଟ୍ ଗେମ୍ସରେ ୧୬ଟି ଦେଶର ୨୮୦ଟି ଦଳ ଏବଂ ୫୦୦ରୁ ଅଧିକ ହ୍ୟୁମାନଏଡ୍ ରୋବଟ୍ ଅଂଶଗ୍ରହଣ କରିଥିଲେ । ଏଥର ଆହୁରି ଉନ୍ନତ ଓ ସ୍ୱୟଂଚାଳିତ ରୋବଟ୍ ଙ୍କ ପ୍ରଦର୍ଶନ ଉପରେ ସାରା ବିଶ୍ୱର ନଜର ରହିବ।

Share In Social Media
Scroll to Top